ମଧୁର ମକାକୁ ମିଠା ମକା ବା ସିଟ କର୍ଣ୍ଣ କୁହାଯାଏ।
ବ୍ୟବହାର: ମଧୁର ମକାକୁ ପୋଡ଼ି ବା ଶିଝାଇ ଖିଆଯାଇଥାଏ।
ବୁଣିବା ସମୟ: ବର୍ଷା ଋତୁ ପାଇଁ ଜୁନ୍ ମାସ, ଶୀତ ଋତୁ ପାଇଁ ଅକ୍ଟୋବର-ନଭେମ୍ବର ମାସ ଏବଂ ଗ୍ରୀଷ୍ମ ଋତୁ ପାଇଁ ଜାନୁଆରୀ ମାସରେ ବିହନ ବୁଣାଯିବା ଦରକାର ।
ମାଟି: ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଏହା ଭଲ ହୁଏ। ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୭.୦ ମଧ୍ୟରେ ରହିଥିବା ଆବଶ୍ୟକ ।
ବିହନ କିସମ: ସାଧାରଣ କିସମମାନ ହେଲା ମାଧୁରୀ, ପ୍ରିୟା, ୱିନୟେଲୋ ଇତ୍ୟାଦି । ହାଇବ୍ରିଡ୍ ବା ସଙ୍କର ଜାତୀୟ କିସମ ହିସାବରେ ପୁଷା ସୁପର ସିଟ୍ କର୍ଡ ୧, ଆଇଏସ୍ସିଏଚ୍ ୬୦୧, ହାଇବ୍ରିକ୍ସ-୩୯, ହାଇବ୍ରିକ୍ସ ୫୩, ନୁଜି ୨୬୦ ଆଦି ଚାଷ କରାଯାଇ ପାରିବ ।
ବିହନ ପରିମାଣ: ଏକର ପ୍ରତି ପ୍ରାୟ ୪ କିଲୋଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ ।
ବିହନ ବିଶୋଧନ: ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୩ ଗ୍ରାମ୍ ଥୁରାମ୍ ବା ୨ ଗ୍ରାମ୍ କାର୍ବେଣ୍ଡାଜିମ୍ ଜାତୀୟ ଔଷଧ ମିଶାଇ ବିଶୋଧନ କରିଦେବା ଉଚିତ୍। ଟ୍ରାଇକୋଡମାଁ ଭିରିଡେ ବା ସୁଡ଼ୋମୋନାସ୍ ସହିତ ମିଶାଇ ମଧ୍ୟ ଜୈବିକ ଉପାୟରେ ବିହନ ବିଶୋଧନ କରାଯାଇପାରିବ ।
ବୁଣିବା ବ୍ୟବଧାନ: ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫ ସେଣ୍ଟିମିଟର ଦୂରତାରେ ବିହନ ବୁଣିବା ଉଚିତ୍।
ଖାଦ୍ୟସାର ପ୍ରୟୋଗ: ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦ କ୍ସିଣ୍ଟାଲ ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରାଯିବା ଉଚିତ୍। ବୁଣିବାବେଳେ ମୂଳସାର ହିସାବରେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର, ୨୪ କିଲୋଗ୍ରାମ ଫସଫରସ ଓ ୨୪ କିଲୋଗ୍ରାମ ପଟାସ୍ ପ୍ରୟୋଗ କରିବାକୁ ହେବ । ବିହନ ବୁଣିବାର ତିନି ସପ୍ତାହ ପରେ କୋଡ଼ାଖୁସା କରି ଏକର ପ୍ରତି ୨୪ କିଲୋଗ୍ରାମ୍ ଯବକ୍ଷାର ସାର ପ୍ରୟୋଗ କରିବା ଦରକାର ।
ଗଛରେ ଅଣ୍ଡିରା ଫୁଲ ଆସିବା ସମୟରେ: ଏକର ପ୍ରତି ୧୨ କିଲୋଗ୍ରାମ୍ ଯବକ୍ଷାର ସାର ପ୍ରୟୋଗ କରିବାକୁ ହେବ ।
ଅଣୁସାର ବ୍ୟବହାର: ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ୍ ଜିଙ୍କ୍ ସଲ୍ଫେଟ୍ ଏବଂ ୪ କିଲୋଗ୍ରାମ୍ ବୋରନ୍ ପ୍ରୟୋଗ କରାଯାଇପାରେ। ଗଛ ହେବାର ତିନି ସପ୍ତାହ ପରେ ପ୍ରତି ଲିଟର ପାଣି ସହିତ ୨ ଗ୍ରାମ୍ ହିସାବରେ ବୋରନ ମିଶାଇ ସ୍ପ୍ରେ କରିବା ଉଚିତ୍।
ଅନାବନା ଘାସ ଦମନ: ବୁଣିବାର ତିନି ସପ୍ତାହ ପରେ ଜମିକୁ ଖୁସାଇ ଘାସ ବାଛିଦେବା ଦରକାର । ଏହାଛଡ଼ା ବୁଣିବାର ଦୁଇ ଦିନ ମଧ୍ୟରେ ଏକର ପ୍ରତି ୮୦୦ ଗ୍ରାମ୍ ଆଟ୍ରାଜିନ ଜାତୀୟ ଘାସମରା ଔଷଧ ପ୍ରୟୋଗ କରାଯାଇପାରେ । ଘାସମରା ଔଷଧ ବ୍ୟବହାର ବେଳେ ମାଟିରେ ବତର ଥିବା ଆବଶ୍ୟକ ।
ଜଳ ପରିଚାଳନା: ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଦରକାର । ଗଛ ଛୋଟ ହୋଇଥିବାବେଳେ, ରାସାୟନିକ ସାର ପ୍ରୟୋଗ ପରେ, ଫୁଲ ହେବା ସମୟରେ ଏବଂ ମକା କଣ୍ଢା ହେବା ହେବା ଅବସ୍ଥାରେ ଜଳର ଅଭାବ ହେବା ଉଚିତ୍ ନୁହେଁ | ବର୍ଷା ଋତୁରେ ଜଳ ନିଷ୍କାସନ ଉପରେ ଗୁରୁତ୍ବ ଦେବାକୁ ହେବ ।
ରୋଗପୋକ ପରିଚାଳନା: ଲେଡ଼ାପୋକ ବା ଫଲ୍ ଆର୍ମି ୱାର୍ମ ଏବଂ କାଣ୍ଡବିନ୍ଧା ପୋକ ଦମନ ପାଇଁ ଏକର ପ୍ରତି ୧୦୦ ମିଲିଲିଟର ସ୍ପିନେଟୋରାମ କିମ୍ବା ୬୦ ମିଲିଲିଟର କ୍ଲୋରାଣ୍ଟ୍ରାନିଲିପ୍ରୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବା ଦରକାର । ସାପକାତିଆ ରୋଗ ଓ ପତ୍ର ଦାଗ ରୋଗ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ କିମ୍ବା ୫୦୦ ଗ୍ରାମ୍ ମାଙ୍କୋଜୋବ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ ।
ଅମଳ: କଣ୍ଢାର ଉପର ଚୋପା ସବୁଜ ଥାଇ ସିଲ୍କ ବା ଚୁଟି ଶୁଖୁଗଲା ପରେ ମଧୁର ମକାକୁ ଅମଳ କରାଯାଏ । ଏକର ପ୍ରତି ପ୍ରାୟ ୪୦ କ୍ରିଣ୍ଟାଲ ମଧୁର ମକା ଅମଳ ହୋଇଥାଏ ।